
ଓଡ଼ିଶାର କିଛି ଦୁଇଚକିଆ ଡିଲରଙ୍କ ଅତିରିକ୍ତ ରେଜିଷ୍ଟ୍ରେସନ୍ ଫି ଆଦାୟ : ସାଧାରଣ ଗ୍ରାହକଙ୍କ ସହ ଏକ ନିରବ ଠକେଇ
ଓଡ଼ିଶାରେ ପ୍ରତିବର୍ଷ ହଜାର ହଜାର ଲୋକ ନୂତନ ଦୁଇ ଚକିଆ ଯାନ କିଣୁଛନ୍ତି। ବିଶେଷକରି ମଧ୍ୟବର୍ଗ ଓ ନିମ୍ନମଧ୍ୟବର୍ଗ ପରିବାର ପାଇଁ ଏକ ଦୁଇଚକିଆ ଯାନ କେବଳ ଯାତାୟାତ ଉପକରଣ ନୁହେଁ, ଏହା ଜୀବନର ଏକ ବଡ଼ ସ୍ୱପ୍ନ। କିଏ ଚାକିରି ପାଇଁ ବାଇକ୍ କିଣେ, କିଏ ପରିବାର ଆବଶ୍ୟକତା ପାଇଁ ସ୍କୁଟି କିଣେ। କିନ୍ତୁ ଦୁଃଖର କଥା, ଏହି ସ୍ୱପ୍ନ କିଣିବା ବେଳେ ଅନେକ ଗ୍ରାହକ ଅଜାଣତ ରେ ଠକି ହେଉଛନ୍ତି ।
ରେଜିଷ୍ଟ୍ରେସନ୍ ଫି ନାମରେ ଅତିରିକ୍ତ ଆଦାୟ
ଓଡ଼ିଶାର କିଛି ଦୁଇଚକିଆ ଡିଲର ଗାଡ଼ିର ରେଜିଷ୍ଟ୍ରେସନ୍ ନାମରେ ସରକାର ନିର୍ଦ୍ଧାରିତ ଶୁଳ୍କ ଠାରୁ ଅଧିକ ଟଙ୍କା ଗ୍ରାହକଙ୍କୁ ଆଦାୟ କରୁଥିବା ଅଭିଯୋଗ ଦୀର୍ଘଦିନ ଧରି ହେଇ ଆସୁଛି। “ହାଣ୍ଡଲିଂ ଚାର୍ଜ”, “ଫାଇଲ୍ ଚାର୍ଜ”, “ଆର୍ଟିଓ ସର୍ଭିସ୍”, “ଫାସ୍ଟ ରେଜିଷ୍ଟ୍ରେସନ୍”, “ଲଜିଷ୍ଟିକ୍ସ ଫି”, ଭଳି ନାମରେ ଅନେକ ଅତିରିକ୍ତ ଟଙ୍କା ଗ୍ରାହକଙ୍କୁ ଦେବାକୁ ବାଧ୍ୟ କରାଯାଉଛି।
ଅଧିକାଂଶ ଗ୍ରାହକ ସରକାରୀ ଫି ସଠିକ୍ କେତେ ତାହା ଜାଣିନଥିବାରୁ ଚୁପଚାପ ଟଙ୍କା ଦେଇଦେଉଛନ୍ତି। ଏହି କାରଣରୁ ଅନେକ ଲୋକ ପରେ ବୁଝୁଛନ୍ତି ଯେ ସେମାନଙ୍କୁ ଅଧିକ ଟଙ୍କା ନିଆଯାଇଛି।
ସରକାରଙ୍କ ସତର୍କବାଣୀ
ଓଡ଼ିଶା ସରକାରଙ୍କ ରାଜ୍ୟ ପରିବହନ ପ୍ରାଧିକରଣ (STATE TRANSPORT AUTHORITY) ପୂର୍ବରୁ ଏହି ଅଭିଯୋଗକୁ ଗୁରୁତ୍ୱ ସହ ନେଇଥିଲା। ସମସ୍ତ RTO କାର୍ଯ୍ୟାଳୟକୁ ସତର୍କ କରାଯାଇଥିଲା ଯେ କୌଣସି ଡିଲର ସରକାରୀ ଫି ଠାରୁ ଅଧିକ ଟଙ୍କା ନେଇପାରିବେ ନାହିଁ।
"ସରକାର ସ୍ପଷ୍ଟ କରିଥିଲେ ଯେ ରେଜିଷ୍ଟ୍ରେସନ୍ ଫି, ରୋଡ୍ ଟ୍ୟାକ୍ସ ଓ ବୈଧ ଶୁଳ୍କ ବ୍ୟତୀତ ଅନ୍ୟ କୌଣସି ଚାର୍ଜ ନେଲେ ତାହାର ସଠିକ୍ ବିବରଣୀ ଓ ରସିଦ ଦେବା ଆବଶ୍ୟକ ।"
କିପରି ଗ୍ରାହକ ମାନଙ୍କୁ ଠକାଯାଉଛି?
ଅନେକ ଶୋରୁମ୍ ଗ୍ରାହକଙ୍କୁ ଗାଡ଼ିର ଅନ୍ତିମ ଦର କହି ଦେଇଥାନ୍ତି ମାତ୍ର କେଉଁଥି ପାଇଁ କେତେ ଟଙ୍କା ନେଉଛନ୍ତି ତାହାର କୌଣସି ଦର ବିଶ୍ଳେଷଣ କରି ବୁଝାନ୍ତି ନାହିଁ । ଯଦି କୌଣସି ଗ୍ରାହକ ପଚାରନ୍ତି, ସେମାନଙ୍କୁ କୁହାଯାଏ ଯେ ଏହା “କମ୍ପାନୀ ରୁଲ୍” କିମ୍ବା “ଆର୍ଟିଓ ପ୍ରୋସେସ୍ ଫି”।
କିଛି ମାମଲାରେ ଡିଲର ଗ୍ରାହକଙ୍କୁ ବାହାରୁ ଇନସୁରେନ୍ସ କରିବାକୁ ମଧ୍ୟ ଦେଉନାହାନ୍ତି । ନିଜ ପାଖରୁ ବୀମା କରାଇବାକୁ ବାଧ୍ୟ କରି ଅଧିକ ଟଙ୍କା ଆଦାୟ କରାଯାଉଛି ।
ଡିଜିଟାଲ୍ ପ୍ରକ୍ରିୟା ପରେ ମଧ୍ୟ ଚାଲିଛି ଅଧିକ ଆଦାୟ
ଡିଜିଟାଲ୍ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆସିବା ପରେ ସରକାର କିଛି ଫି କମାଇଥିଲେ। କିନ୍ତୁ ଅଭିଯୋଗ ହେଉଛି ଯେ କିଛି ଡିଲର ପୁରୁଣା ଦରରେ ଟଙ୍କା ନେଇ ତାହାର ଲାଭ ଗ୍ରାହକଙ୍କୁ ଦେଉନାହାନ୍ତି।
ଗ୍ରାହକଙ୍କ ଅସଚେତନତା ହେଉଛି ମୁଖ୍ୟ କାରଣ
ଅଧିକାଂଶ ଗ୍ରାହକ ସରକାରୀ ନିୟମ ସମ୍ପର୍କରେ ଅବଗତ ନୁହନ୍ତି । ଏହି କାରଣରୁ ଡିଲର ଯାହା କୁହନ୍ତି ସେହି ଟଙ୍କା ଦେଇଦେଉଛନ୍ତି। ବିଶେଷକରି ଗ୍ରାମାଞ୍ଚଳର ଲୋକ ଏହିପରି ଠକେଇର ଶିକାର ହେଉଛନ୍ତି ।
କିପରି ସଚେତନ ରହିବେ?
ଗାଡ଼ି କିଣିବା ପୂର୍ବରୁ ସରକାରୀ ରେଜିଷ୍ଟ୍ରେସନ୍ ଫି ଅନଲାଇନ୍ରେ ଯାଞ୍ଚ କରନ୍ତୁ ।
ପ୍ରତ୍ୟେକ ଚାର୍ଜର ଅଲଗା ବିବରଣୀ ମାଗନ୍ତୁ ।
ସମସ୍ତ ଟଙ୍କାର ରସିଦ ନିଅନ୍ତୁ ।
ସନ୍ଦେହ ହେଲେ RTO କିମ୍ବା Consumer Forum ରେ ଅଭିଯୋଗ କରନ୍ତୁ।
ଅନ୍ୟ ଶୋରୁମ୍ ସହ ଦର ତୁଳନା କରନ୍ତୁ।
ଉପସଂହାର ଗାଡ଼ି କିଣିବା ଏକ ଖୁସିର ଅନୁଭବ ହେବା ଉଚିତ, ଠକେଇର ନୁହେଁ । ଯଦି କୌଣସି ଡିଲର ସରକାରୀ ନିର୍ଦ୍ଧାରିତ ଫି ଠାରୁ ଅଧିକ ଟଙ୍କା ନେଉଛନ୍ତି, ତେବେ ଏହା ଗ୍ରାହକଙ୍କ ସହ ଅନ୍ୟାୟ। ଲୋକମାନେ ସଚେତନ ହେଲେ ଓ ସରକାର କଠୋର ପଦକ୍ଷେପ ନେଲେ ମାତ୍ର ଏହିପରି ଅନିୟମ ବନ୍ଦ ହୋଇପାରିବ।
ଆମ ୱେବ ସାଇଟ ରେ ମଧ୍ୟ ଏକ RTO CALCULATOR ଅଛି ଯେଉଁଥିରେ ଆପଣ କେବଳ ଗାଡି EX-SHOWROOM ଦାମ ଲେଖନ୍ତୁ ଏବଂ ଆପଣ ଯଦି ୠଣ କରି ଗାଡି ନେଉଛନ୍ତି ତାହାଲେ ସେହି ସ୍ଥାନ ରେ CHECK BOX ରେ CLICK କରନ୍ତୁ ... ତଳେ ଆପଣ ନେଉଥିବା ଗାଡି ର ରେଜିଷ୍ଟ୍ରସନ ଫି ଜାଣିପାରିବେ ...ମାନେ ରଖିବେ ଏହି ମୂଲ୍ୟ କେବଳ ଓଡିଶା ରେ Rs .500000.00 ଗାଡି ପର୍ଯ୍ୟନ୍ତ ଲାଗୁ ହେଇ ଥାଏ ...
